ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା ବେଳେ ଆରଏମଏଲ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।ସତ୍ୟପାଲ ମଲିକଙ୍କୁ ମେ ୨୦୨୫ରୁ ଦିଲ୍ଲୀର ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

 

ମୂତ୍ରନଳୀ ସଂକ୍ରମଣ ଏବଂ କିଡନୀ ସମ୍ପର୍କିତ ଜଟିଳତା ଯୋଗୁଁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଜି ଅପରାହ୍ନରେ ହସ୍ପିଟାଲ ପକ୍ଷରୁ ସତ୍ୟପାଲ ମଲିକଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଥିଲା। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର ମଧ୍ୟ ଦିଲ୍ଲୀରେ ମୃତ୍ୟୁ ହୋଇଥିଲା। ଶିବୁ ସୋରେନ ସୋମବାର ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

 

ଉଲ୍ଲେଖଯୋଗ୍ୟ, ସତ୍ୟପାଲ ମଲିକଙ୍କ ଜନ୍ମ ୨୪ ଜୁଲାଇ ୧୯୪୬ରେ ହୋଇଥିଲା। ସେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ହିସୱାଡା ଗ୍ରାମର ବାସିନ୍ଦା ହୋଇଥିଲା ବେଳେ ସେ ଏକ ଜାଟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ମେରଠ କଲେଜରୁ ବିଜ୍ଞାନରେ ସ୍ନାତକ ଏବଂ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ସେ ୧୯୬୮-୬୯ ମସିହାରେ ମିରଟ କଲେଜର ଛାତ୍ର ସଂଘର ସଭାପତି ଭାବରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ୧୯୭୪-୭୭ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ ଏବଂ ୧୯୮୦ରୁ ୧୯୮୯ ପର୍ଯ୍ୟନ୍ତ ରାଜ୍ୟସଭାରେ ଉତ୍ତର ପ୍ରଦେଶର ପ୍ରତିନିଧିତ୍ୱ କରିଥିଲେ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ ଜନତା ଦଳର ସଦସ୍ୟ ଭାବରେ ଆଲିଗଡ଼ରୁ ନବମ ଲୋକସଭାର ସାଂସଦ ହୋଇଥିଲେ।

 

ସତ୍ୟପାଲ ମଲିକ ଅଗଷ୍ଟ ୨୦୧୮ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ ଏବଂ କାଶ୍ମୀରର ଶେଷ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ତେବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଧାରା ୩୭୦ ରଦ୍ଦ କରିବାର ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.