ଆଇଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ବଦଳି ହୋଇଛି । ତାଙ୍କୁ ବୟନ ଓ ହସ୍ତତନ୍ତ ଶିଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ତାଙ୍କ ବଦଳରେ ମାଲକାନଗିରିରେ ବ୍ରହ୍ମପୁର ମହାନଗର ନିଗମର କମିସନର ପ୍ରଥମେଶ ଅରବିନ୍ଦଙ୍କୁ ଜିଲ୍ଲାପାଳ ଦାୟିତ୍ବ ମିଳିଛି ।

ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ଶାସନ ସଚିବ ସ୍ମୃତିରଞ୍ଜନ ପ୍ରଧାନଙ୍କୁ କ୍ଷୁଦ୍ର ଶିଳ୍ପ ନିଗମରେ ଏମଡି ଭାବେ ନିଯୁକ୍ତି ମିଳିଛି । ଶ୍ରୀ ପ୍ରଧାନଙ୍କୁ ଷ୍ଟାର୍ଟଅଫ୍‌ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ଏଠାରେ ପୂର୍ବରୁ ରଶ୍ମିତା ପଣ୍ଡା ଅବସ୍ଥାପିତ ଥିଲେ ।

ସେହିଭଳି ଓଡ଼ିଶା ସମବାୟ ସମିତି ସମୂହର ନିବନ୍ଧକ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ସଂପଦ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ରାଜସ୍ବ ଅଧିକାରୀ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶ ମଧୁସ୍ମିତା ସାହୁଙ୍କୁ ଏସସିଇଆରଟିର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଉତ୍ତରାଞ୍ଚଳ ରାଜସ୍ବ ମଣ୍ଡଳର ବନ୍ଦୋବସ୍ତ ଏବଂ ଚକବନ୍ଦୀ ଅତିରିକ୍ତ କମିସନର ଉପମା କାଲୋଙ୍କୁ ଉତ୍ତରାଞ୍ଚଳ ଆରଡିସି ସଚିବ ଭାବେ ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଲିଲି କୁମାରୀ କୁଲୁଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ନିଯୁକ୍ତି ମିଳିଛି ।

Leave A Reply

Your email address will not be published.