ନୂଆଦିଲ୍ଲୀ: ଶ୍ରମିକ ଟ୍ରେନ୍ ଜରିଆରେ ଭାରତୀୟ ରେଳ ୩୬୦ କୋଟି ଟଙ୍କା ଆୟ କରିଛି। ଗତ ମେ’ ପହିଲା ପରଠାରୁ ଏହି ସ୍ବତନ୍ତ୍ର ଟ୍ରେନ୍ଗୁଡ଼ିକ ଜରିଆରେ ୬୦ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଯାତ୍ରା କରିଛନ୍ତି। ଶ୍ରମିକ ଟ୍ରେନ୍ର ହାରାହାରି ଟିକଟ୍ ଦାମ୍ ୬୦୦ ଟଙ୍କା ରହିଛି। ରେଳ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ କହିଛନ୍ତି, ଭାରତୀୟ ରେଳ ୪୪୫୦ ଶ୍ରମିକ ଟ୍ରେନ୍ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇଛି। ଟିକଟର ହାରାହାରି ଦାମ୍ ୬୦୦ ଟଙ୍କା ରହିଛି ଯାହା ସାଧାରଣ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ର ଟିକଟ ଦାମ୍ ସହ ସମାନ। ସ୍ବତନ୍ତ୍ର ଟ୍ରେନ୍ରେ ଏହାଠାରୁ ଯଥେଷ୍ଟ ଅଧିକ ଭଡ଼ା ଦେବାକୁ ପଡ଼ିଥାଏ। ଶ୍ରମିକ ଟ୍ରେନ୍ର ପରିଚାଳନା ବାବଦ ଖର୍ଚ୍ଚର ମାତ୍ର ୧୫% ଅର୍ଥକୁ ରେଳବାଇ ଫେରିପାଇଛି। ବଳକା ଅର୍ଥକୁ କେନ୍ଦ୍ର ସରକାର ବହନ କରିଥିବା ସେ କହିଛନ୍ତି।
ଏକ ଶ୍ରମିକ ସ୍ପେସିଆଲ୍ ଟ୍ରେନ୍ ଚଲାଇବା ଲାଗି ରେଳବାଇକୁ ୭୫-୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ଯେହେତୁ ଅଧିକାଂଶ ପ୍ରବାସର ଶ୍ରମିକ ନିଜ ରାଜ୍ୟକୁ ଫେରିଯାଇଛନ୍ତି ସେଥିପାଇଁ ଶ୍ରମିକ ଟ୍ରେନ୍ ପାଇଁ ଆସୁବିଧା ଦାବି ମଧ୍ୟ କମିଛି। ଆଉ କେତେ ଶ୍ରମିକ ଟ୍ରେନ୍ ଚଲାଇବାର ଆବଶ୍ୟକତା ରହିଛି ତାହା ଜଣାଇବା ଲାଗି ଜୁନ୍ ୩ରେ ରେଳବାଇ ପକ୍ଷରୁ ରାଜ୍ୟଗୁଡ଼ିକୁ କୁହାଯାଇଥିଲା। ବିଭିନ୍ନ ରାଜ୍ୟରୁ ୧୧୭ଟି ଶ୍ରମିକ ସ୍ପେସିଆଲ୍ ଟ୍ରେନ୍ ଚଲାଇବା ଲାଗି ଦାବି ଆସିଥିବା ସେ କହିଛନ୍ତି। ଜୁନ୍ ୧୪ ସୁଦ୍ଧା ଆମେ ୨୨୨ ଶ୍ରମିକ ଟ୍ରେନ୍ର ଚଳାଚଳ କରିଛୁ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଆଉ କେତେ ଟ୍ରେନ୍ ପାଇଁ ଦାବି ରହିଛି ତାହା ଜଣାଇବା ଲାଗି ଆମେ ରାଜ୍ୟଗୁଡ଼ିକୁ କହିଛୁ। ଯେତେଦିନ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ଠାରୁ ଦାବି ଆସୁଥିବ ସେତେଦିନ ପର୍ଯ୍ୟନ୍ତ ଶ୍ରମିକ ଟ୍ରେନ୍ ଚଳାଚଳ କରିବ ବୋଲି ସେ କହିଛନ୍ତି। ଶ୍ରମିକ ଟ୍ରେନ୍ ଚଳାଚଳରେ ହେଉଥିବା ଖର୍ଚ୍ଚର ୮୫ ପ୍ରତିଶତ କେନ୍ଦ୍ର ସରକାର ବହନ କରୁଥିବା ବେଳେ ରାଜ୍ୟ ସରକାର ୧୫% ଅର୍ଥ ବ୍ୟୟ କରୁଛନ୍ତି।
Comments are closed.