‘ବିଜେଡି ଦେହରେ ଯାଉନି ରୁବେନଙ୍କ ଅପ୍ରିୟ ସତ ଲେଖା’

ଭୁବନେଶ୍ବର: ଆଗରୁ ଭଲ ଲେଖୁଥିଲେ, ଆଜି ଅପ୍ରିୟ ସତ ଲେଖିବାରୁ ବିଜେଡି ଦେହରେ ଯାଉନି । କିଛି ଏମିତି କହି ରୁବେନ ବାନାର୍ଜିଙ୍କ ବହିକୁ ନେଇ ବିଜେଡିର ଆକ୍ଷେପକୁ କଡା ସମାଲୋଚନା କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଏନେଇ ବାବୁ କହିଛନ୍ତି, ରୁବେନ୍‌ ବାନାର୍ଜୀ ଅପ୍ରିୟ ସତ୍ୟ କଥା ଲେଖିବା ବିଜେଡି ଦେହରେ ଯାଉନି । ପୂର୍ବରୁ ଯେତେବେଳେ ସେ ଲେଖୁଥିଲେ, ସେତେବେଳେ ଭଲ ଥିଲେ । ଆଜି ଅପ୍ରିୟ ସତ ଲେଖିଲେ ବୋଲି ବିଜେଡି ଏମିତି କହୁଛି । ରୁବେନ୍‌ ବାନାର୍ଜୀଙ୍କ ଲେଖା ସେତେବେଳେ ସତ ଥିଲା ଆଉ ଏବେ ବି ସତ । ତେଣୁ ବିଜେଡି ନେତା ତାକୁ ଗ୍ରହଣ କରିବା ଶିଖନ୍ତୁ ବୋଲି କହିଛନ୍ତି ବାବୁ ।

ତେବେ କହିରଖୁଛୁ, ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜୀବନି ଉପରେ ଆଧାରି ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ୨୪ ବର୍ଷ ସରକାରର ପତନ ଆଉ ଏଥିରେ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ଭୂମିକା ବିଷୟରେ ଆଲୋକପାତ କରାଯାଇଛି । ଯାହାର ନାମ ‘ନବୀନ ପଟ୍ଟନାୟକ-ଦ ଅଥରିଟେଟିଭ୍‌ ବାୟୋଗ୍ରାଫି ରିଭାଇଜଡ୍‌ ଆଫ୍ଟର୍‌ ୨୦୨୪ ଇଲେକ୍ସନ୍‌ସ’ ରହିଛି । ତେବେ ଏହାକୁ ନେଇ ଏବେ ପ୍ରତିକ୍ରିୟା ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବହିରେ ଲେଖାଥିବା କଥାକୁ ଖଣ୍ଡନ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ।

ଏହାକୁ ନେଇ ଅରୁଣ କହିଛନ୍ତି, ରୁବେନ ବାନାର୍ଜୀ ବହୁ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି  । କଥା ହୋଇ ନାହାନ୍ତି କି ଇଣ୍ଟରଭ୍ୟୁ ବି ନେଇ ନାହାନ୍ତି। ବିରୋଧୀଦଳ ଓ ବିଭିନ୍ନ ସ୍ଥାନରେ ଯାହା ଚର୍ଚ୍ଚା ହେଉଥିଲା ତାକୁ ଭିତ୍ତି କରି ବହି ଲେଖିଛନ୍ତି । କାହା ଉପରେ ଲେଖିବା ବେଳେ ତାଙ୍କ ମତାମତ ନେବା କଥା ଓ ଘଟଣାର ସୋର୍ସ ଲେଖିବା କଥା । ଯେଉଁ ମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରନ୍ତି ସେମାନଙ୍କ ମତାମତ ନେଇ ରୁବେନ ବହି ଲେଖିଛନ୍ତି । ସୌଜନ୍ୟତା ଦୃଷ୍ଟିରୁ ନବୀନଙ୍କ ମତାମତ ନେବାର ଥିଲା। କିନ୍ତୁ ରୁବେନ ବାନାର୍ଜୀ ବିରୋଧୀ ଦଳ ନେତା ଭାବେ ଲେଖିଛନ୍ତି । ଚା ଖଟି, ତାସ ଖଟି ଚର୍ଚ୍ଚା ଓ ବିରୋଧୀ ଦଳର ଭାଷାକୁ ନିଜ ବହିରେ ରୁବେନ୍ ସଜେଇ ଲେଖିଥିବା ଅରୁଣ ଅଭିଯୋଗ କରିଛନ୍ତି ।  ଯାହାକୁ କଡା ସମାଲୋଚନା କରିଛନ୍ତି ବାବୁ ସିଂ ।

Leave A Reply

Your email address will not be published.