ଭୁବନେଶ୍ବର: ଲୋକେ ତ୍ରିଶୁଳିଆ ଯାଇ କ’ଣ କରିବେ, କଟକ ସହ ସଂଯୋଗ ହେବା ଆବଶ୍ୟକ । ମେଟ୍ରୋ ପ୍ରକଳ୍ପ ନେଇ ଆଜି କିଛି ଏପରି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏଥିସହିତ ଏବେ ତ୍ରିଶୁଳିଆ ଯାଏଁ ନୁହଁ, ସିଧା କଟକକୁ ମେଟ୍ରୋ ଯୋଡିହେବ ବୋଲି କହିଛନ୍ତି ମନ୍ତ୍ରୀ ।
ମେଟ୍ରୋ ପ୍ରକଳ୍ପର କାର୍ଯ୍ୟକ୍ଷମତାକୁ ନେଇ ମନ୍ତ୍ରୀ କହଛନ୍ତି, ମେଟ୍ରୋର ଆବଶ୍ୟକତା ରହିଛି । ପୂର୍ବ ସରକାର ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋର ପରିକଳ୍ପନା କରିଥିଲେ । ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ, କଟକ ଯିବା ଦରକାର । ଏନେଇ କମିଟି ଅନୁଧ୍ୟାନ କରୁଛି । ଟେକ୍ନିକାଲ ଲୋକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । କେଉଁଠୁ କେଉଁ ପର୍ଯ୍ୟନ୍ତ ଗଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ କମିଟି ତର୍ଜମା କରୁଛି । ଏହାପରେ ମେଟ୍ରୋ ପ୍ରକଳ୍ପର ପରିଧିକୁ ଆହୁରି ବିସ୍ତୃତ କରାଯିବ । କଟକ ଯାଏଁ ଚାଲିବ ମେଟ୍ରୋ । ନନ୍ଦନକାନନ ରୋଡ୍ରେ ତିନିଥାକିଆ ରୋଡ୍ ହେବ, ସେଥିରେ ମେଟ୍ରୋ ବି ଚାଲିବ । ଏହି ପ୍ରକଳ୍ପକୁ ବାତିଲ୍ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।
ତେବେ କହିରଖୁଛୁ, ରାଜ୍ୟରେ ଗଡିବ ପ୍ରଥମ ମେଟ୍ରୋ ରେଳ । ଏଥିପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର । ଯାହା ଆସନ୍ତା ୨୦୨୭ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ଏହି ମେଟ୍ରୋ ରେଳ ଚଳାଚଳ କରିବ । ଏହା ମଧ୍ୟରେ ୨୦ଟି ମେଟ୍ରୋ ରେଳ ଷ୍ଟେସନ ରହିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଉଛି । ତେବେ ପୂର୍ବରୁ ଏହି ପ୍ରକଳ୍ପ ତ୍ରିଶୁଳିଆ ପର୍ଯ୍ୟନ୍ତ ଯୋଜନା କରାଯାଇଥିବା ବେଳେ ଏବେ ଏହାକୁ କଟକ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ।