ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ସୀମା ଆରପାରିରୁ ପାକିସ୍ତାନୀ ସେନା ପକ୍ଷରୁ ନିରନ୍ତର ଗୁଳିମାଡ଼ ଚାଲିଛି। ବୁଧବାର ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ, ଯେଉଁଥିରେ ଆତଙ୍କବାଦୀ ମାସୁଦ ଆଜହାରର ପରିବାରର ୧୦ ଜଣ ସଦସ୍ୟ ମଧ୍ୟ ଥିଲେ। ଅନ୍ୟପକ୍ଷରେ ପାକିସ୍ତାନ ଭାରତରେ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରୁଛି। ସବୁଆଡୁ ପାକ୍କୁ ମାତ୍ ଦେଉଛି ଭାରତ।
ପାକ୍ ସେନାର ଯୋଜନାକୁ ପଣ୍ଡ କରିବାରେ ଲାଗିଛି ଭାରତୀୟ ସେନା। ଭାରତର ଉନ୍ନତ୍ତକୌଶଳ ଅସ୍ତ୍ରଶସ୍ତ୍ର, ମିସାଇଲ୍ ଆଗରେ ହାର୍ ମାନୁଛି ପାକ୍ର ମିସାଇଲ ମାଡ। ଆକାଶ ମାର୍ଗରୁ ପାକ୍ର ଅସ୍ତ୍ରକୁ ଟକ୍କର ଦେଉଛି ଭାରତର ସୁଦର୍ଶନ ଚକ୍ର। ଏହାରି ମଧ୍ୟରେ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳ ଗୁର୍ଦାସପୁରରେ କଡାକଡି କରାଯାଇଛି। ଆସନ୍ତା ନିର୍ଦ୍ଦେଶ ପର୍ଯ୍ୟନ୍ତ ଗୁରୁଦାସପୁରରେ ରାତି ୯ଟାରୁ ସକାଳ ୫ ପର୍ଯ୍ୟନ୍ତ ବ୍ଲାକ୍ଆଉଟ୍ ଲାଗୁ ରହିବ।
ଏପରି ପରିସ୍ଥିତିରେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପାକିସ୍ତାନ ସୀମାବର୍ତ୍ତୀ ପଞ୍ଜାବ ଜିଲ୍ଲାଗୁଡ଼ିକରେ ତୁରନ୍ତ ପ୍ରଭାବରୁ ଆତସବାଜି, ବିଶେଷକରି ଜୋରରେ ବିସ୍ଫୋରଣ ସହିତ ଫୁଟୁଥିବା ଆତସବାଜିକୁ ନିଷିଦ୍ଧ କରାଯାଇଛି। ଏହା ସହିତ, କୌଣସି ବିବାହ କିମ୍ବା ଅନ୍ୟ କାର୍ଯ୍ୟକ୍ରମରେ ଏଗୁଡ଼ିକର ବ୍ୟବହାରକୁ ଅନୁମତି ଦିଆଯିବ ନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ଗୁରୁଦାସପୁର ଡିସି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୫ ପର୍ଯ୍ୟନ୍ତ ବ୍ଲାକ୍ଆଉଟ୍ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ କେନ୍ଦ୍ରୀୟ ଜେଲ ଗୁରୁଦାସପୁର ଏବଂ ହସ୍ପିଟାଲଗୁଡ଼ିକରେ ଲାଗୁ ହେବ ନାହିଁ।
ପୂରା ରାତିରେ ଅନ୍ଧାରରେ ରହିବ ଜିଲ୍ଳା । କାରଣ ଗୁର୍ଦାସପୁର ପାକିସ୍ତାନ ସୀମା ସହିତ ସଂଲଗ୍ନ । ଭାରତ-ପାକ୍ ସୀମାରେ ସମ୍ବେଦନଶୀଳ ବାତାବରଣ ଯୋଗୁଁ ଭାରତ ସରକାର ଏବଂ ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ନାଗରିକ ପ୍ରତିରକ୍ଷା ଆଇନ ୧୯୬୮ ଅନୁଯାୟୀ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଗୁର୍ଦାସପୁରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।